Unknown

 

 

 

 

 

 

 

 

 

ବାଜି ରାଉତ

ଡକ୍ଟର ସଚ୍ଚିଦାନନ୍ଦ ରାଉତରାୟ

 

 

 

 

 

 

ଉତ୍ସର୍ଗ

 

ନାଲ ଓଡ଼ିଶାର ବୀର ସେନାପତି

ଓଡ଼ିଶା ଗଡ଼ଜାତ ପ୍ରଜା ଆଂଦୋଳନର

ଅନ୍ୟତମ ଜନନେତା

ସାଥୀ ଭଗବତୀ ଚରଣ ପାଣିଗ୍ରାହୀଂକ

ପୁଣ୍ୟ ସ୍ମୃତି ଉଦ୍ଦେଶ୍ୟରେ............

 

–ସଚ୍ଚିଦାନନ୍ଦ ରାଉତରାୟ

Image

 

ପରିଚୟ

 

ବାଜି ରାଉତ ଆଜି ଆଉ ଖାଲି ବ୍ୟକ୍ତିବିଶେଷ ନୁହେ, ସେ ଏ ଦେଶର ବୃହତ୍ତମ ଅନୁଷ୍ଠାନ ।

 

ବାଜି ରାଉତ ବାର ବର୍ଷର ପିଲା । ଢେଙ୍କାନାଳ ରାଜ୍ୟର ନୀଳକଣ୍ଠପୁର ଗାଆଁରେ ଏକ ଗରିବ ନାଉରୀ ଘରେ ତାର ଜନ୍ମ । ବୁଢ଼ୀ ମା ତାର ଧାନ କୁଟି ପେଟ ପୋଷେ ଆଉ ବାଜି ନଈ ପାଣିରେ ନାଆ ମେଲି ଦେଇ ମନ ଖୁସିରେ ଗୀତ ଗାଇ ଗାଇ ନେଳିଆ ଆକାଶ ତଳେ ହାଲୁକା ଦିନଗୁଡ଼ିକ କଟେଇ ଦିଏ ।

 

ସନ ୧୯୩୯ । ଢେଙ୍କାନାଳ ଆନ୍ଦୋଳନ । ସେ ଦିନ ରାତିରେ ମେଘ, ବର୍ଷା, ଘଡ଼ଘଡ଼ି, ବିଜୁଳି, ତିନିଦିନ ଧରି ଝଡ଼ି ଲଗେଇଚି । କଳା ମିଚିମିଚି ଅଂଧାର ରାତିରେ ବାଜି ଘାଟ ଡଙ୍ଗାଟି ଜଗି ଡଙ୍ଗାଉପର ଚାଳିଘରେ ହାଲିଆ ହୋଇ ଶୋଇ ପଡ଼ିଛି ।

 

ଅଧରାତିରେ ଦରବାରର ପୁଲିଶ ଫୌଜ ଭୁବନ ଗାଁରେ ଗୁଳି ଫଏର କରି ସାରି ରକ୍ତମୁହାଁ ହୋଇ ଫେରି ଆସିଲେ । ନଈ ପାର ହବା ପାଇଁ ବାଜିକୁ ଡଙ୍ଗା ମାଗିଲେ । ବାଜି ନିଦମଳମଳ ଆଖିରେ ପୌଜ ମୁହଁକୁ ଅନାଇଲା । ତା ପରେ କହିଲା ‘‘ପ୍ରଜାମଣ୍ଡଳର ହୁକୁମ ନାଇଁ, ମୁଁ ଡଙ୍ଗା ଛାଡ଼ିବି ନାଇଁ’’ । ସଙ୍ଗେ ସଙ୍ଗେ ଚାଲିଲା ଗୁଳି । ବାଜିର ଛୋଟ ଟାଣୁଆ ଦିହଟା ବନ୍ଦକ କୁନ୍ଦାରେ ଭୁଇଁରେ ଭାଙ୍ଗି ପଡ଼ିଲା । ସଙ୍ଗେ ସଙ୍ଗେ କୂଳରେ ଡଙ୍ଗା ଦଉଡ଼ିକୁ ଅଣ୍ଟାରେ ବାନ୍ଧି ଠିଆ ହୋଇଥିବା ହୁରୁଷି, ନଟ, ଗୁରି ପ୍ରମୁଖ ଆଉ କେତେ ଜଣ ବୀର ସୈନିକ ମଧ୍ୟ ମୁର୍ଦ୍ଦାର ହୋଇ ତଳେ ପଡ଼ିଗଲେ ।

 

ଅନ୍ଧାରି ମୁଲକର ସେଇ ନିଛାଟିଆ ଅଂଧାର ରାତିରେ ସାତ ସାତଟା ମଣିଷ ଦିହର ଟରମ ରକ୍ତରେ କାଳିଆ ନଈ ପାଣି ହଠାତ୍‍ ସେ ଦିନ ନାଲ ହୋଇ ଉଠିଥିଲା ।

 

ଶବଗୁଡ଼ିକୁ କଟକକୁ ଅଣା ହେଲା । କଟକରେ ବିରାଟ ପଟୁଆର କରି ସହୀଦମାନଙ୍କର ଶବକୁ ସମ୍ମାନ ଦେଖାଇବା ପରେ ଡାକ୍ତରମାଇନା କରା ହେଲା । ତାପରେ ମୁଁ, କମ୍ରେଡ ଅନନ୍ତ ପଟ୍ଟନାୟକ (ବର୍ତ୍ତମାନ ଜେଲରେ) ରବିଘୋଷ ଓ ମୋତିଲାଲ ତ୍ରିପାଠୀ ପ୍ରମୁଖ କେତେଜଣ ବନ୍ଧୁ ସାତୋଟି ଯାକ ଶବକୁ ନେଇ କଟକ କାଠଯୋଡ଼ିକୂଳ ଖାନ୍‍ନଗର ମଶାଣିରେ ଗୋଟିଏ ଚିତାରେ ଶୁଆଇ ଦେଇ ଆସିଲୁଁ ।

 

ସେଦିନ ସେଇ ଭୟାବହ ଚିତାର ନାଲ ଜିଭ ତଳେ ବସି ମୋ’ ମନରେ ଯେଉଁ ଅସଲଗ୍ନ ଭାବନାର ଉଦ୍ରେକ ହୋଇଥିଲା, ତାରି ସ୍ମରଣରେ ଏ କବିତାଟି ରଚିତ ହୋଇଚି ।

 

କଟକ

ସଚ୍ଚିଦାନନ୍ଦ ରାଉତରାୟ

୦୯/୦୩/୪୧

 

Image

 

ଏକ

 

ନୁହେଁ ବଂଧୁ, ନୁହେ ଏହା ଚିତା,

ଏ ଦେଶ ତିମିର ତଳେ

ଏ ଅଲିଭା ମୁକତି ସଳିତା ।

ନୁହେଁ ଏହା ଜଳିଯିବା ପାଇଁ

ଏହାର ଜନମ ଏଥି ଜାଳି ପୋଡ଼ି

ଦବାକୁ ଧସାଇ ।।

 

ଉଆଁସ ପାଚିରି ଘେରା

ଏ ଅଂଧାରି ଅମୁହାଁ ଦେଉଳେ

ପ୍ରେତାୟିତ ଅଂଧ ରାତି

ମଥା ପିଟେ ଯାର ବେଦୀ ମୂଳେ

ଏ ତାହାର ଶେଷ ଦୀପାୟନ;

ସଂଜର ତୁଳସୀ ମୂଳେ

ପ୍ରଦୀପର ନିରୁକ୍ତ ବେଦନ,

ଜଳ ଉଠି କ୍ଷଣକ ସକାଶେ

ସାର୍ଥକ କରଇ ଯଥା ‘ଚିଂରତନେ’

ମଂଦ ଉପହାସେ,

ସେହିପରି ତାହା

ସଂକ୍ଷିପ୍ତ ଜୀବନ ଦେଇ ଜୀବନର ଅତିରିକ୍ତ ଯାହା

ଗର୍ଭେ ତାର ହେଇଚି ଜନମ,

ତାହାରି ବଂଦନା କରେ ଆୟୁଷ୍ମାନ

ଶିଖା ପ୍ରିୟତମ !!

ଏ ଶିଖା ଦେଇଚି ଆଜି

ଇତିହାସେ ହାତ ଟେକି ଦାନ

ଶତାବ୍ଦୀର ଶ୍ରେଷ୍ଠ ଫୁଲ,

ମୁକୁଳିତ ‘ମୃତ୍ୟୁହୀନ’ ପ୍ରାଣ ।।

 

ନିରନ୍ନ ଏ ଜନତାକୁ ଦେଇଚି ଏ

ତାହାର ଚାଳକ

କ୍ଷୁଦ୍ର ଏକ ନାଉରି ବାଳକ

ବାହିବାକୁ ଏ ଦେଶର ତରୀ,

ଭିଡି ନାଈ ଘାଟେ ନାଆ

ନାଉରିଆ ପାରେ କିରେ ମରି ?

ଆଜି ତାର ବାଣୀ

ଶୀତଳ ଧମନୀ ତଳେ ପଠାଇଚି ଅପୂର୍ବ ଆହ୍ୱାନୀ ।

ଜ୍ୱଳଂତ ଏ ଲେଲିହାନ, ସ୍ୱାହାହୀନ ଶିଖାର ଅନଳେ

ଜୀବନର ମାଲ୍ୟ ଥରେ, ମରଣର ଚାରୁ ସ୍ୱୟଂବରେ

ରଚିବାକୁ ସୃଷ୍ଟିର ଭୂମିକା;

ଉଷାର ଗୋପନ ଅର୍ଥ ରଜନୀର ଲୁପ୍ତ ପାଦଟୀକା

ଋଖେ ଯଥା ଧରି,

ଆପଣା ମୃତ୍ୟୁରେ ଫୁଟେ ଆଜି ସେ ତ ଝରି ସେଇପରି ।।

 

ପଛୁ କିଏ ନାକୁଚି ତୁହାଇ

ଋହ ରହ ଆରେ ଶିଶୁ,

ଛିଡା ହୁଅ ବାରେ, ଯାଆ ନାଇ ।।

 

ଅଛି ଝଡ, ଅଛି ରାଜା,

ଅଛି ପୁଣି ରାଜାର ସଇନ,

ଗରଜୁଚି କଳା ମେଘ, ଝଡ଼ ରାତି,

ହେଇ ନାଇ ଦିନ ।।

 

ଫୁଲି ଫୁଲି ନାଚେ ନଈ ପାଣି

ଅଂଧାରରେ ଖାଲ, ବିଲ କିଛିଇ ତ

ହେଉ ନାଇ ଜାଣି ।

ଶାଳବନୁ ମହାବଳ ରଡ଼ି

ଭାସି ଆସେ ବଣ ବିଲେ ଖେଳାଇ ଯେ

ଭୟର ନହଡ଼ି ।।

 

 

ଉଲୁକର ଆରଣ୍ୟ ନିଃଶ୍ୱାସ

ଆର୍ଦ୍ରକରେ ପାହାଡ଼ର ଶିଳାମୟ ଆଗ୍ନେୟ ବିଶ୍ୱାସ ।

ଛିଡା ହୁଅ, ଅଛି ଆରେ ରାଣ,

ସମ୍ମୁଖର ଯାତ୍ରା-ପଥେ ଶୁଣ ପଛୁ କରୁଣ ଆହ୍ୱାନ ।

ଏଡିକି ସେ ‘ଅମାନିଆ ପିଲା’

ଫଉଜର ଗୁଳି, ଗୁଳା, ରଜା, ଝଡ କିଛି ନ ମାନିଲା,

ଧୂଳିଖେଳ ଛାଡ଼ି

ଗୁଳି ଆଗେ ଜୀବନକୁ ହସି ହସି ଦେଲା ସିନା ବାଢ଼ି ।।

 

ଝଡ଼ ଠାରୁ ସେ ଯେ ବଡ଼

ମେଘ ଠାରୁ ଆଉରି ସେ କଳା,

ସାନ ଦେହେ ଖେଳେ ତାର

ଜୀବନର ଅଲିଭା ଚପଳା ।

ରାତି ପରି ହୁଏ ବାଟବଣା

ପଥ ଭୂଲି ଏଣେ ତେଣେ ବୋହିଯାଏ

ସେ ପରା ଝରଣା ।।

 

ଛୋଟ ପୁଣି ଏଡେ ସେ ବିରାଟ !

ଜୀବନ ପାରିଲା ନାଇ ରଖି ତାକୁ

ମୃତ୍ୟୁ ତାରେ ଛାଡ଼ିଦେଲା ବାଟ ।

ଲୁହାର ଫଉଜ ଗଲେ ଫାଟି,

ମାଟିର କଂକାଳ ସେ ଯେ କାହିଁ ଗଲା ?

ମାଟି ଖାଲି ମାଟି ।।

 

ଏ ଦେଶର ମାଟି

ତାହାକୁ ସେ ଭଲପାଏ,

ତାହା ଲାଗି ନୂଆ ବାରବାଟି

ଗଢ଼ିଲା ସେ ହାଡ଼ ମାଂସେ,

ନିଶ୍ୱାସରେ ଦେଲା ଜୀବନ୍ୟାସ

ହଳଦିଘାଟରୁ ବଡ଼ ଗଢ଼ିଗଲା

ଦେଶ ଇତିହାସ ।

ଲହୁ ଢ଼ାଳି ତହିଁ ପରେ ଲେଖିଲା ସେ

ମୁକତିର ଛବି

ଛବି ନୁହେ, ତୂଳି ନୁହେ, ନୁହେ ରଂଗ

ସେ ରକ୍ତ କରବୀ !!

ଏ ମାଟିର ସ୍ତନ୍ୟ ପିଇ ଗାଇଲା ସେ

ଏ ମାଟିର ଜୟ

ବିଶ୍ୱର ଦୁରଂତ ଶିଶୁ

ମୃତ୍ତିକାର ଚିର ସ୍ତନଂଧୟ !

ଚଂପକ ସମ ସେ ଯେ

ସଉରଭ ରଖି ଗଲା ମରି

ମରଣ ପାରିଲା ନାଇ କଦାପି ତ

ଛୋଟ ତାକୁ କରି ।

ପଦଚିହ୍ନ ତାର ଶମଶାନେ କଲା ତୀର୍ଥ,

ଦେବାଳୟ ହେଲା ଶବାଗାର !!

ସେ ତ ରୂପକାର

ଏ ପତିତ ଦଗ୍ଧ ମୃତ୍ତିକାର ।

ନିଗାଡ଼ି ଆପଣା ତନୁ, ନିଃଶୋଷି ସେ ନିଜ ରକ୍ତ ଜଳ

ଧରଣୀରେ କରିଚି ଉର୍ବର ।

ଯାହା କିଛି ଅସୁଂଦର, ଯା ବିକଟ ଅଭଦ୍ର ମଳିନ

ଜୀବନର ସମାରୋହେ ଯାହା କରେ କ୍ଲୀବ, କ୍ଲାଂତ, ଦୀନ,

ସବୁ ଦଳି ସେ ରକ୍ତ ଯୌବନ

ସଜାଇଚି ଏଥି ଆଜି ‘ସୁଂଦର’ର ଚାରୁ ସିଂହାସନ ।।

ଯା କିଛି କୁତ୍ସିତ ଏଥି, ଅଶୋଭନ, ଅଶ୍ଲୀଳ, ଆବିଳ,

ଜୀବନର ଛଂଦ ସାଥେ ନାହିଁ ଯାର ଏତେ ଟିକେ ମେଳ,

ପ୍ରତିବାଦ କରଇ ଯା’ ଚିର

ସକଳ ସ୍ୱପ୍ନର ଏଥି, ମଣିଷରେ କରଇ ସ୍ଥବିର,

ଦୂର କରି ତାର କଳା ଛାଇ

ଲୋଡ଼ିଚି ସେ ଏ ଧରାରେ ଆଣିବାକୁ ଅଚକିତେ ବାହି

ସୃଜନର ନୂଆ ଭାଗୀରଥୀ

କ୍ରାଂତିର ସାରଥି ।

ଜନତାର ସେ ଯେ ମୂକ କବି

ତାହାରି ବଂଦନା ଗାଏ ମେଘମୁକ୍ତ ଅନାଗତ ରବି ।

ପୂର୍ଣ୍ଣିମାର ସୁଦୀର୍ଘ ଗୌରବ

ଆଜି ଏଥି ତମିସ୍ରାରେ

ଗାଏ ବନ୍ଧୁ ତାର ମୁଗ୍ଧ ସ୍ତବ ।।

 

ମାଳଂଚର ନବୀନ ଅଂକୁର

ତାହାରି ଶୋଣିତପୁଷ୍ଟ ମୃତ୍ତିକାର

ଗଂଧେ ଲଭେ ସୁର ।

ଆଗଂତୁକ ଘାସର ସଭାରେ

ତାହାରି ଚଂଚୁର ପୀତ ଫୁଟି ଉଠେ

ନୂତନ ଆଭାରେ ।

ଯେତେ ପତ୍ର ଫୁଲ

ଫୁଟିବ ଏ ଧରଣୀରେ,

ମୃତ୍ତିକାର ଶାଖାରେ ମୁକୁଳ,

ତୁମକୁ ତା’ କରିବ ସ୍ମରଣ ।

ଅଧୁନା-କ୍ଷୟିଷ୍ଠୁ ତବ ତନୁ ତୀରେ

ତାହାର ତୋରଣ

ଚୁମିବ ଆକାଶ,

ତବ ପଚମାନ ଦେହେ ଖୋଜେ ତାହା

ଜନ୍ମ ଅବକାଶ ।।

 

ପଳାଶ-ପିଚ୍ଛିଳ ବନେ

ବସଂତର ପୁଷ୍ପିତ ବିଳାସେ

ତୁମରି ରକ୍ତର ରାଗ

ଅବିରର ରଂଗ ଅଧିବାସେ

ଉଠିବ ଉକୁଟି,

ବିଧବା ବନର ପଥ ସୀମଂତେ ତା’

ଉଠିବଇ ଫୁଟି

ସିଂଦୁରର ପରି

ଋକ୍ତ-ତାରା ! ତୁମ ନାମ ସ୍ମରି ।।

 

ତୁମ ଦୀର୍ଘଶ୍ୱାସ

ନିର୍ଝରର କଂପ୍ର ବୁକେ ଆଣିଦେବ ତରଂଗର ପ୍ରାସ ।

ଅଜଣା ସେ ପ୍ରତ୍ୟୁଷର ତୀରେ

କେଉଁ ଅନାଗତ କବି ଫୁଟାଇବ ତାହାକୁ ବାଣୀରେ ?

କେଉଁ ଚିତ୍ରକର

ତବ ଦନୁପୁଷ୍ଟ ଏଇ ସୌନ୍ଦର୍ଯ୍ୟରେ କରିବ ମୁଖର ?

ଆଜି ଏଥି ‘ସୁଂଦର’ର ପଥ

ମଳିନର ହ୍ରେଷା ରବେ ହୋଇଅଛି ରୁଦ୍ଧ, ପ୍ରତିହତ ।

ଶୋଷଣର ନିର୍ମମ ସ୍ୟଂଦନ

ପିଷ୍ଟକରେ ଜୀବନର ଲତାୟିତ ଚାରୀ ପଦ୍ମବନ ।

ଅନଶନେ, ଅନଟନେ ଶତ

ମଣିଷ ପାସୋରି ଅଛି ସତ୍ୟ ଶିବ ସୁଂଦରର ପଥ ।

ମ୍ଲାନ ତାର କ୍ଷୀଣ ଦୃଷ୍ଟି ପଥେ

କ୍ଷୀୟମାନ ଲାବଣ୍ୟର ଦଗ୍‌ଧ କ୍ଷେତେ ଖର ଘୂର୍ଣ୍ଣି ରଥେ

କେଉଁ ପ୍ରେତ ମେଲେ ଧୂମ୍ର-ପୁଚ୍ଛ ?

ଫୁଲର ଫସଲ ତାର ନଷ୍ଟ କରେ ପଂଗପାଳ ତୁଚ୍ଛ ।

‘ସୁଂଦର’ର ଛିନ୍ନ ଧ୍ୱଜା ତଳୁ

ତେଣୁ ତୁମେ ନେଇ ଟେକି ନିଜ ହାତେ ପୀଡ଼ନ କବଳୁ ।।

 

ଅନାଗତ ସୃଷ୍ଟିର ଗୌରବେ

‘ସୁଂଦର’ ର ନବ ଜନ୍ମୋତ୍ସବେ

ଝରା ବକୁଳର କବି ! ବାଜୁଅଛି ତୁମରି ସ୍ୱାଗତ

ଉଚ୍ଚାରେ ଆଗାମୀ କାଳ ସେଇ ମଂତ୍ର ଆଜି ଯେ ସ୍ୱଗତ ।।

 

ତେଣୁ ତ ଫାଲଗୁନି !

ବୃଷ-ସ୍କଂଧେ ତବ ଅଗ୍ନି-ତୂଣୀ

ଟଂକାରଇ ରାତ୍ରିର ପ୍ରାଚୀରେ,

ଜୟର ସ୍ପର୍ଧିତ ଶଂଖ ବାଜେ ଦୂରେ

ଉଷାର ଶିବିରେ ।।

 

ଭାଂଗିବାର କବି !

ଗଢ଼ିବାର ପର୍ବ ଶେଷେ ଗାଇଲ କି

ମରଣ-ଭୈରବୀ ?

ନିଜର ଶୋଣିତ ରାଗେ ଲେଖିଗଲ ଏ ଯେଉଁ କବିତା

ସଂଧ୍ୟାର ତୋରଣେ ଥରେ ତାହା ଦେଖି ଭୟରେ ସବିତା ।

ହେ ଅମର ମୃତ୍ୟୁର ଶିଳିପି !

କରୁଣ ସ୍ୱଗତେ ଥିଲ ରଚି ଯେଉଁ କ୍ଷୀଣ ପାଂଡୁଲିପି,

ମରଣର କଂଠେ ଆଜି ଲଭିଚି ତା ଅମରଳ ରୂପ,

ପଶ୍ଚାତେ ରହୁ ଗୋ ପଡି ଦଗ୍‌ଧ ଶବ; ବ୍ୟର୍ଥ ଭସ୍ମସ୍ତୂପ ।

ଶୂନ୍ୟଚାରୀ ବଳାକାର ସମ

ମେଘର ନିଥର ହ୍ରଦେ ହାଣ ଢେଉ, ଉର୍ମିର ବଲ୍ଲମ ।।

 

ହସି ଉଠେ କଳା ରାତି

ଫିଟି ପଡ଼େ ଝଡ଼ର କବରୀ,

ଆଗାମୀ କାଲିର ବାର୍ତା

ଜନ୍ମ ଲଭେ ଭ୍ରୂଣ ସମ ଥରି ।

ଯା ଆସିବ ତାହା ଲାଗି

ଚାରିଦିଗେ ଲାଗେ ଅଭିସାର;

ତବ ନ୍ୟାୟ-ଅନୁଷ୍ଠାନେ

ଅତୀତର ନିଷ୍ଠୁର ବିଚାର

ହୋଇଲାଣି ଶେଷ,

ଶାସ୍ତି ତାର ମୃତ୍ୟୁର ଆଦେଶ ।।

 

ତୁମରି କବିତା ଆଜି ବୋହି ଆଣେ

ଅବା ସେ ଘୋଷଣା,

ମୃତ୍ୟୁର ବଧିର ହାସ୍ୟ ତହିଁ ବାଜେ

ଯେସନ ବାଜଣା ।

ଆହେ ବିଚାରକ !

ଅତୀତର ମୃତ ଦେହେ ରଖ ତବ

ସ୍ୱାକ୍ଷର ସ୍ମାରକ ।।

 

ଅତୀତର ଚାରୋଟି ଫାଲ୍‌ଗୁନ

ପୋଡ଼ି ଯଦି ଯିବ ଯାଉ ଏ ଚିତାରେ

ଯଥା ଶୁଷ୍କ ତୃଣ

ନାହିଁ କ୍ଷତି, ନାହିଁ ଆରେ ଭୟ,

ହବ, ହବ ପୁଣି ଦିନେ ବସଂତର ଚିର ଅଭ୍ୟୁଦୟ ।

କୁସୁମର ରାଜଧାନୀଠାରୁ

ଆସିଅଛି ଆଜି ଦୂତ ଆଣିଅଛି

ବାର୍ତା ଅତି ଚାରୁ ।।

 

ଏ ଚିତାରେ ତାର ନିମଂତ୍ରଣ,

ଡାକି ଯାଏ ଲକ୍ଷ ଜନେ,

ଧନ୍ୟ ହେଲା ମୃତ୍ୟୁର ଲଗନ ।

ଡାକେ ଦୂରେ ଉଦାର ଅଂଧାର,

କଥା କହେ କାଠଯୋଡ଼ି

କଥା କହ ଆଜି ହେ ମୁର୍ଦାର !

ନୁହେ ବଂଧୁ, ନୁହେ ଏ ଯେ ଚିତା,

ସେ ତୁମର କ୍ଷମାହୀନ ମୃତ୍ୟୁମିଶା

ଅମର କବିତା ।।

Image

 

ଦୁଇ

 

ଆଜିଠାରୁ ବହୁ ବର୍ଷ ପରେ

ତୁମେ କି ଜାଣିବ ବଂଧୁ

କେବେ କେଉଁ କଳ୍ପାନ୍ତ ଶେଷରେ

ଆବିର୍ଭାବ ହବ ପୁଣି ତବ

ଶତ ଦେହେ, ଶତ ମନେ

ଢାଳି ନବ ଜୀବନ ଆସିବ ?

 

ଲଭି ପୁଣି ନବ ନବ ରୂପ

ତୁମେ ଯେ ଆସବ ଫେରି

ମରଣର ଲଘିଂ ଅଂଧକୂପ,

ଏ ଦେଶର ବିରାଟ ଜୀବନେ

କେଉଁ ଶୁଭ ଗୋଧୂଳିର ଛାୟାମ୍ଲାନ

ଉଦାର ଲଗନେ ?

ସେଦିନ ସେ ଶୁଭକ୍ଷଣେ ଦେଶେ ଦେଶେ

ତୁମରି ଅର୍ଚନ;

ସେଇ ଅନାଗତ ଲଗ୍ନେ ଆଜି ମୁଁ ଯେ

କରଇ ବଂଦନ ।।

 

ଆହେ ଅନାଗତ !

ଅତୀତର ଫଗୁ ଖେଳ ସାଥେ ହେଲା

ତୁମର ଯା ଗତ ।

ଯାହା ଗଲା ମରି,

‘ଆଜି’ ଯାରେ ପାରିଲାନି ଧରି

‘କାଲି’ ତାକୁ ଦବ ଯେ ଫେରାଇ

ଏ ଦେଶର କୋଟି ବୁକେ ଧାରା ତାର ନିଭିବ ମିଳାଇ ।

ଇତିହାସେ ସେଇ ତାର ଦାନ

ସେଇ ତାର ଉପହାର ମୃତ୍ୟୁଜୟୀ,

ଉଦାର, ମହାନ ।।

 

ହେ ସୁଂଦର ଶିବ,

ତୁମକୁ ହରାଇ ‘ଆଜି’ ଋଣଗ୍ରସ୍ତ, ଦରିଦ୍ର, ନିର୍ଜୀବ

ଆଗାମୀ ସେ ମହାକାଳ ପାଶେ,

ତୁମେ ତାରେ କରିଅଛ ଅତି ଛୋଟ

କ୍ରୁର ଉପହାସେ ।

ତେଣୁ ଆଜି ହରାଇ ତୁମରେ

ମୃତବତ୍ସା ଏ ଶତାବ୍ଦୀ ପୋଛେ ଆଖି

ନିଜ ଶୀର୍ଣାଞ୍ଚଳେ ।

ଦୂର ଗୋଷ୍ଠ ପ୍ରାଂତେ ଅବା ବତ୍ସହରା

ଶୀର୍ଣ କେଉଁ ଧେନୁ

ଚକ୍ଷୁ ତୀରୁ ଦିଏ ବୁଣି ଶୁଷ୍କ, ଘନ

ଲୋତକର ରେଣୁ !

ନିଷ୍ପ୍ରଦୀପ ରାତିର ପତଂଗ

ଆଲୋକ ତୃଷ୍ଣାରେ ଯଥା କ୍ଷୀନ୍ନ କରେ

ଆପଣାର ଅଂଗ,

ତୁମକୁ ସେପରି

ଖୋଜୁଅଛି ଦିଗେ ଦିଗେ ଏ ଧରିତ୍ରୀ

ହାହାକାର କରି ।

କ୍ଷମ ଆହେ କ୍ଷମ

ହେ ରୁଦ୍ର ନିର୍ମମ !

ଭୁଲିଯାଅ ତାର ଅପରାଧ,

ଆଜିର ଏ ଜନତା ଉନ୍ମାଦ

ତୁମକୁ ତ ପାରିନାଇ ବୁଝି,

ତେଣୁ ତୁମ ଋଣ ଭାରେ ଭାଜିପଡ଼େ

ପାରେ ନା ତା’ ଶୁଝି ।

କର ବାରେ ତାରେ ଗୋ ମାର୍ଜନା,

ଯୌବନର ରକ୍ତ-ଅଶ୍ୱ ! ଶତାବ୍ଦୀର ହେ

ମୂକ ସାଧନା !!

ଆଜିଠାରୁ ବହୁ ବର୍ଷ ପରେ

କର୍ମକ୍ଳାଂତ ଗୋଧୂଳି ପ୍ରହରେ

ତୁମେ ଯେବେ ଆସିବ ଗୋ ଫେରି

ମୃତ୍ୟୁ ଜାଲ ଠେଲି

ମୁଁ ତୁମରେ ଚିହ୍ନି ନେବି ଆଗେ,

ପ୍ରଥମ ସ୍ୱାଗତ ଲିପି ଜଣାଇବି

ମୁହିଁ ଅଗ୍ରଭାଗେ ।।

 

ଶତ ଶତ କବି ହାତେ ପଠାଇବି ମୁଁ ତବ ବଂଦନ,

ମୁଁ ପୁଣି ଉଠିବି ଜୀଇ ଛିନ୍ନ କରି ମୃତ୍ୟୁର ବଂଧନ ।

ସେ ଦିନ ଫେରିବି ମୁଁ ଯେ

ମରଣର ଅତଳ ଗହ୍ୱରୁ

ଭଗ୍ନସ୍ତୂପ ଶମଶାନ କୋଳୁ

ହାତେ ଧରି ମାନ-ପତ୍ର ତବ;

ଶତ କଂଠେ ଉଚ୍ଚାରିବ ଶବ ମୋର ତବ ମଂତ୍ର-ସ୍ତବ ।

ଆଜିଠାରୁ ଶତ ବର୍ଷ ପରେ

ମୁଁ କବି ରହିବି ଜାଗି କୋଟି ଜନ

ନିଦ୍ରିତ ଅଂତରେ ।।

 

ଶତ ଶତ ଯାତ୍ରୀ ଜନ ମେଳେ

ଦୁଃସାହସୀ ମୁକତିର ଖେଳେ

ତୁମେ ଯେବେ ଆସିବ ଗୋ ଫେରି,

ବହୁ ଦୂରୁ ଶୁଣାଯିବ ତବ ମୌନ ରଣଜୟୀ ଭେରି ।।

 

ପ୍ରଭାତର ଦେବାଳୟ ଶିରୁ

ତବ ସମାଗମ ଶଂଖ ମୁଖରିବ ଦିଗଂତର ତୀରୁ

ମୁଁ ତୁମରେ ବରି ନେବି ଆଗେ

ମୁଁ ଦେବି ପ୍ରଥମ ଟୀକା ଆଗୋ ବଂଧୁ

ତବ ଶିରୋଭାଗେ ।।

 

ଫାଲଗୁନର ନବପତ୍ର ରାତି

ଗତିମୁକ୍ତ ଅଶ୍ୱାରୋହୀ ସମ ବେଗେ

ଛୁଟାଇ ତା’ ବାଜୀ

ପଉଷର ଜରା ବୁକେ ରଚେ ଯଥା ତାର

ଯାତ୍ରା ପଟୁଆର,

ସେହିପରି,

ଏ ଦେଶ ସ୍ଥବିର ମନେ ଅଭିଷେକ ହବ ଯେ ତୁମରି ।

ସେ ଦିନ ସେ କୋଟି ବର୍ଷ ପରେ

ଅନାଗତ ସେଇ ଲଗ୍ନେ ଆଶୀର୍ବାଦ

କବି ମୁଁ ଯେ କରେ ।।

 

ଦୁର୍ଯୋଗର ସଂକୁଳ ରଜନୀ

ଯେବେ ଗୋ ପେଷିବ ଏଥି ଧରଣୀର ଆଦିମ ଧମନୀ

ପଶୁତ୍ୱର ଉଧ୍ୱର୍ ହ୍ରେଷା ଯେବେ

ରୋଧିବ ସବଳେ ଏଥି ମଷିଣର ଆର୍ତ କଂଠେ,

ତେବେ ହେ ଅଗ୍ନି-ବଳାକା !

ପାର ହୋଇ ତମିସ୍ରାର ଛାୟାଦୁଷ୍ଟ ନଷ୍ଟ ଉପତ୍ୟକା

ସେଇକ୍ଷଣି ତୁମେ

ଡେଣାର ଢେଉରେ ଯିବ ଆଂଦୋଳି ଏ ଦୀର୍ଣ ମରୁଭୂମେ ।।

 

ଚଂଚୁର ଆଘାତେ ଟାଣି ଦାନବର ଛିନ୍ନ ନାଭି ଅଂତ୍ର

ତୁମେଇ ଘୋଷିବ ଏଥି ସଂଗଠିତ ବିଦ୍ରୋହର ମଂତ୍ର ।

ତୁମରି ତୂଳିକା

ନିକଷରୁ ବଳି କଳା ମରଣର ସଂକ୍ଷିପ୍ତ ଭୂମିକା

ଛିନ୍ନ କରି ରଚିଦବ ହାୟ

ପ୍ରଭାତର ସ୍ୱର୍ଣ୍ଣ-ସେତୁ ଦ୍ୱିଧାହୀନ ମୁକ୍ତିର ଅଧ୍ୟାୟ ।।

 

ମାତାର ଲୁଳିତ ବକ୍ଷୁ ଭୋକେ ଯେବେ ଶୁଖିଯିବ କ୍ଷୀର

ଶୀର୍ଣ ଶଂଖ ସମ ତା’ର ବେନି ସ୍ତନୁ ଝରିବ ରୁଧିର,

କ୍ଷୁଧାରେ କାଂଦିବ ଶିଶୁ, କ୍ରନ୍ଦନେ ଭରିବ ନଭ ସ୍ଥଳ

ମୁର୍ମୁର୍ଷୁ ଶିଶୁର ଓଠେ କ୍ଷୁଧାତୁରା ମାତା ଅଶ୍ରୁଜଳ

ଖାଲି ଦବ ଢ଼ାଳି,

ନୟନ ପଖାଳି,

ତେବେ ହେ ଜଟାୟୁଗତି ! ରହି ତୁମେ ପାରିବ କି ଦୂରେ

ମରଣ ପାରିବ ରଖି ବଂଦୀ କରି ତାର ଅଂତଃପୂରେ ?

ଭାଂଗିବନି ଲୁହାର କବାଟ

ମୃତ୍ୟୁର ଶୃଙ୍ଖଳ ପଦେ ଚୂରିବନି ମୁକତିର ଭାଟ ?

ଆଜି ଏଥି ମାଟିର ମଣିଷ

ଭୂଇଁରେ ଲୋଟଇ ହେଳେ, ଅଯତନେ, ମୂକ, ଅହର୍ନିଶ ।

ଅବହେଳେ ଫିରିଦିଆ ଯଥା କାର ଏକ ମୁଠା ତୁଷ,

ଅବା କେଉଁ ଆକାଶୀ ଫାନୁସ୍ ।

ମଳିନ ଉଚ୍ଛିଷ୍ଟ ପରି ପଚମାନ ଜୀବନର ତାର

ଗୋପନ ସୁନାର ଅର୍ଥ କେ କରିବ ଆଜି ଆବିଷ୍କାର ?

ମଣିଷର ଲୁପ୍ତ ପରିଚୟ

ତୁମରି ସ୍ୱାକ୍ଷରେ ପୁଣି କେବେ ବଂଧୁ

ଲଭିବ ବିଜୟ

ଦଳିତର ଲୋତକ ଆହବେ ।

ନିଭି ଯିବ ନୀଳ ଜ୍ୟୋସ୍ନା,

ଜନତାର ଚକ୍ରପିଷ୍ଟ ରବେ-

ଯେବେ ପୁଣି ଭରିବ ଆକାଶ

ତେବେ ଗୋ କଂପିବ ତବ ତଂଦ୍ରାସ୍ଥାଣୁ

ଅଚଳ କୈଳାସ ।

ଭାଂଗିଯିବ ଦୂରର ତପସ୍ୟା

ନିକଟେ ଆସିବ ତୁମେ ଚଂଦ୍ରଚୂଡ଼ ତେବେ ଗୋ ସହସା

ହାତେ ଧରି ପ୍ରଳୟ ବିଷାଣ,

ତୁମେ ଉଡ଼ାଇବ ଏଥି ଭାଗିଂବାର ଗୈରିକ ନିଶାଣ ।

ସକରୁଣ ସର୍ବନାଶୀ ସୁରେ

ତୁମର ମଂଦିରା ସାଥି ଝଂକାରିବ

ପୂର୍ବାଶାର କୂଳେ ।।

 

ଭଗ୍ନଜାନୁ ଆହତର ଡାକେ

ଯେବେ ଗୋ କାଂଦିବ ଏଥି ବାଦଲର

ଶତ ଛିନ୍ନ ଫାଂକେ

ଶ୍ରାବଣ ଆକାଶ,

ଜାଣେ ଜାଣେ ତୁମେ ଆସି ଛିଡ଼ାହବ ଚୂରି ନୀଗପାଶ

ଅସୀମ ମୃତ୍ୟୁର,

ଜାଗରଣେ ଯଥା ତଂଦ୍ରାତୁର ।।

 

ଯୁଗେ ଯୁଗେ କାଳର ସୀମାଂତେ

ତୁମେ ଯେ ଆସିବ ଫେରି ଏ ଧରାରେ

ଶତାବ୍ଦୀର ପ୍ରାଂତେ

ପାର ହୋଇ ଜନ୍ମ ମୃତ୍ୟୁ ସୀମା,

ସ୍ୱପ୍ନର ଦ୍ରାଘିମା ।।

 

ହାତେ ଧରି ନୂତନ ନିଶାଣ

ଇତିହାସ ଶିରେ ତୁମେ ହୋଇଅଛ ଛିଡ଼ା କ୍ରାଂତିବାନ୍ !

ଦିଗଂତର ପରିଖାର ପାରେ

ବନର ତ୍ରିଭୂଜ ଯହିଁ ମିଶିଅଛି ପଶ୍ଚିମ ପ୍ରାଚୀରେ,

ଶ୍ଳଥ ଅଶ୍ୱ ତବ ମାରେ ହାଇ,

ତବ ପଥ ଚାହଁ ।।

 

ପକ୍ଷେ ତାର ଜାଗେ ଅବା କ୍ଲାଂତି

ଶତାବ୍ଦୀର ସିଂଧୁ ପାରେ ଜାଗେ ଘୋର

ଧୂସର ସଂକ୍ରାଂତି !!

ଅଛି ଏହା ଜାଣି

ତୁମର ଆସିବା ପଥେ ଧରଣୀର କାପୁରୁଷ ଗ୍ଲାନି

ଗଢ଼ିବି ନିଗଡ଼,

ଭାଜିପଡ଼େ, ଆଜି ଜଉ-ଗଡ଼ ।।

 

ସାବଧାନୀ ପଥିକର ଦଳ

ପିଚ୍ଛିଳ ପଥର କ୍ଷତି ଗଣି ଏଥି ନିୟତ ବିକଳ ।

ହରାଇଛି ଚାଲିବାର ଛଂଦ

ଭୂଲିଅଛି ଝରଣାର ନିସଂକୋଚ ଗତିର ଆନଂଦ ।

ଧାବମାନ ପଥର ରୋମାଂଚ…..

ହରାଇ ଖୋଜିଚି ଖାଲି ପଥ-ପାଶେ ପୁରାତନୀ ଛାଂଚ ।।

 

ସେ ଯେ ମୃତା ତଟିନୀର ଧାରା,

ଗଢ଼ିବି ଆପଣା ଲାଗି ମୃତ୍ୟୁହିମ

ତୁଷାରର କାରା ।

ତେଣୁ ବନ୍ଧୁ ତବ ନିମଂତ୍ରଣ

ଫେରିଯାଏ ଦ୍ୱାର ଦେଶୁ,

ପାରେ ନା ସେ ଖୋଲି ବାତାୟନ ।।

 

ପୃଥିବୀର ଚଳମାନ

ଅକ୍ଷର ସଂଗୀତେ

ଗତିର ବେପଥୁ ଜାଗେ

ଯାଯାବର ପଥର ଇଂଗିତେ ।

ଆଜି ତାର ସ୍ଥବିର ଚରଣେ

ତାହାରି ହିଲ୍ଲୋଳ ଲାଗେ ଦେଖ ସାଥୀ

ଯାତ୍ରାର ତୋରଣେ ।।

 

ଏ ଧରାର ଭଗ୍ନମନ, ଚୂର୍ଣ ଆଶା

ବିଦୀର୍ଣ ଫଂଜରେ

ତୁମେ ଯେ ଭୂମିଷ୍ଠ ହବ ଚିରଜୀବୀ

ନବ ଜନ୍‌ମାଂତରେ ।

ପରିଚ୍ଛନ୍ନ ଶୁଭଂକର ରୂପେ

ଅତିକ୍ରମି ଲକ୍ଷ ତ୍ରୁଟି,

ବଂଧନର ଶତ ଅଂଧକୂପେ ।।

 

ଆଜିଠାରୁ ବହୁ ବର୍ଷ ଶେଷେ

ତବ ଶୁଭ ଜୟଂତୀର ଜୟ ଗାଥା

ରଚିଲି ଏ ଦେଶେ ।।

Image

 

ତିନି

 

ଛିଡ଼ା ହୁଅ ବାରେକ ବାଟୋଇ

ଏଇ ପଥ ପାଶେ ସେ ଯେ

ଅଭିମାନେ ପଡିଅଛି ଶୋଇ ।।

 

ଋୁଷି କିବା ଶୋଇଅଛି ଛାଏଁ

ନିଶାଚର ପକ୍ଷୀ ତାରେ ଡାକିଯାଏ

ଆପଣା କୁଲାୟେ,

ତୋଳେ ନା ସେ ମୁଖ ।।

 

ଝରାଫୁଲ ବିଦାୟ-ଉନ୍‌ମୁଖ

କହିଯାଏ ତାର କାନେ କାନେ

ଆପଣାର ଚାଲିଯିବା ମାନେ ।।

 

ଲତାର ନଧର ବୃଂତୁ ନେଉ ନେଉ

ସେମାନେ ମେଲାଣି

ମରମୀ ଦୋସର କାନେ କହି ଯାଂତି

ବିଦାୟର ବୀଣା-

“ଫେରିବାର ସଭାରେ ଆମର

ତୁମରି ସ୍ୱାଗତ ବଂଧୁ ଗାଇ ଗଲୁ,

ଆମେ ଯାଯାବର ।।”

 

ରାତ୍ରିର ପତଂଗ

ଆପଣାର ଆର୍ଦ୍ର ପକ୍ଷେ ଛୁଇଁ ତାର

ସମାଧିର ଅଂଗ (୧)

ଶିଉଳିର ଶେଯେ

ଶୋଇ ଶୋଇ ସ୍ୱପ୍ନ ଦେଖେ ଅସ୍ତଗାମୀ

ପୂର୍ଣ୍ଣିମାର ସେ ଯେ ।।

 

ଅଜଣା ପଥର ଫୁଲ

ନବାଗତ ମୌସୁମୀର ସଂଗେ

ହଠାତ୍ ଆସିଚି ସେ ଯେ

ଏ ମାଟିର ଶ୍ୟାମଳ ଉତ୍‌ସଂଗେ ।

ଏବେ ବି ତ ହେଇ ନାଇ ଚିହ୍ନା,

ଉଭୟେ ରହଂତି ଚାହିଁ ପରସ୍ପରେ

ପରିଚୟ ବିନା ।

ତଥାପି ସେ ନିଜ-ଦିଆ ନାମେ

ଡାକିଯାଏ ବେଳେବେଳେ ସାଥିଟିରେ

ରାତ୍ରିର ତ୍ରିଯାମେ ।।

 

କେବେ ବା ଗୋପାଳ ଶିଶୁ

ଫେରୁ ଫେରୁ ଗୋଷ୍ଠୁ ସଂଧ୍ୟାଗମେ

କ୍ଲାଂତ ପଦେ ବସିପଡ଼ି ପାଶେ ତାର

ଶ୍ରମ-ଜ୍ୱାଳା ଶମେ ।

କିଛିକ୍ଷଣ ପରେ ପୁଣି ଉଠି

ମୃତ୍ତିକାରେ ଶିର ଥାପେ, ଝରେ, ଯହିଁ ନିଜ ମନେ ଫୁଟି

ବଣର ତୁଳସୀ,

ଅଶ୍ୱତ୍‌ଥର ଦୀର୍ଘ ଛାୟା ତରୁ ଶିରୁ

ସଂତର୍ପଣେ ଖସି

ସଂସଭ୍ରମେ ଅତି

ବାଢ଼ିଯାଏ ପଦେ ତାର ଆପଣାର

ନିଷିଦ୍ଧ ପ୍ରଣତି ।।

 

ପାଂଥ ! ବାରେ ମଥା କର ନତ,

ଏ ଯେ ମହା ତୀର୍ଥ ଭୂଇଁ

ନୁହେଁ ଏହା ଖାଲି ରାଜପଥ ।

ଏଇଠି ଶୋଇଚି ସେ ଯେ ଅଭିମାନେ

ଧୂଳି ଶେଯେ ତଳେ,

ଟିକି ଦେହେ ଦେଖ ତାର

ଦାବାନଳ ହୁତୁ ହୁତୁ ଜଳେ ।

କେହି ତାରେ ଡାକିଲାନି

ଲୋଡ଼ିଲାନି କେହି ଥରେ ଆସି,

ଅଭିଯୋଗ କେହି ତାର ଶୁଣିଲାନି

ଅଭିମାନ ନାଶି ।

ଋୁଷି ତେଣୁ ଶୋଇଚି ବା ତଳେ,

ଶିଥିଳ ତା ଧନୁଶର

ତିଂତିଲାଣି କେତେ ଆଖି ଜଳେ ।

ମୁଠିଏ ପାଉଁଶ ତାର ସାରା ଦେଶେ

ଛାଇ ଗଲା କେହ୍ନେ

ନଅମୀର ଚୂର୍ଣ ଚାଂଦ ବୁଣିଯାଏ

ଶଣ ଖେତେ ଯେହ୍ନେ ।

ଶରତ୍‌ର ଆଡ଼ରୁଷା ଜହ୍ନ

ବଉଦର କଳା ବୁକେ ଲୁଚାଇଚି

ତା ଅଧା-ଲପନ ।

ତୁମେ ତାରେ ପୁରୁନା କି ଦେଖି

ରାତ୍ରିର ରହସ୍ୟ ପରି ଯାଇଚି ସେ ଆପଣାକୁ ଲେଖି

ଦର୍ଶକର ଗୁପ୍ତ ମର୍ମ ପଟେ,

ଦେଇନାଇ ଧରା ସେ ତ ବାହାରର

ଖୋଲା ଦୃଷ୍ଟି-ପଥେ ।

ମୁତ୍ୟୁର ଗୁଂଠନ ଟାଣି ଭୀରୁ ତାର

ଜୀବନର ବଧୂ,

ରହେ ଦୂରେ, ବିଶ୍ୱ ପାତ୍ରେ ଢାଳେ ନା ତ

ଅଧରର ମଧୁ ।।

 

ଅମାବାସ୍ୟା ସମ

ନିଜର ରହସ୍ୟେ ସେ ତ ନିଜ ଅର୍ଥ ନିହିଚି ଚରମ ।

ପାଂଥ ତେଣୁ ଯାଅ ମଥା ନୋଇଁ

ଅସମାପ୍ତ ସେ ଗାନର ଛଂଦ ନିଅ

ମର୍ମ ପୁଟେ ବୋହି ।

ତେବେ ଅବା ପାରିବ ଗୋ ବୁଝି

ଅଦେୟ ତା ଋଣଭାର ତେବେ କିଛି

ପାରିବ ବା ଶୁଝି !!

ଆଜି ବଂଧୁ ସ୍ମର ଥରେ ତାରେ,

ତୁମ ସାଥେ ଏ ମାଟିରେ ଥିଲା ଯେହୁ ରହି

ଏକ କାଳେ,

ଏକଦା ଯେ ପାଇଥିଲା ଭଲ,

ଆମରି ଏ ଧରଣୀର ଅଂଧାର ଓ

ଆଲୋକ ସକଳ ।

ଶ୍ରାବଣର ଶାଣିତ ଅଂଧାରେ

ଅବିରାମ ବରଷଣ ଧାରେ

ଇାହି ତାର ତରୀ,

ଆମ ପାଇଁ ଜାଗିଥିଲା ଯେହୁ ଏଥି

ବିନିଦ୍ର ଶର୍ବରୀ ।

ମୁକତିର ଚାରୁ ଦୀପଶିଖା

ମଳିନ ନ ହବ ଲାଗି ଝଟିକାର

ତୀବ୍ର ପ୍ରହେଳିକା-

ଏଥିପାଇଁ ପ୍ରହରୀର ସମ

ଜାଗିଥିଲା ଯେହୁ ରାତି, ପଦେ ତାର

ନମ ଆରେ ନମ ।।

 

ଭୁଲ ନାଇ ତାରେ

ମୃତ୍ୟୁଠାରେ ସେ ଯେ ବଡ଼,

ଜୀବନର ଅମର ସଂଭାରେ

ଦରଭୁଲା ପଦ-ଧ୍ୱନି ତାର

ଆମରି ପଥର ଛଂଦେ ଆଜି ବାରେ

କର ସିଉକାର ।।

 

ଯାଯାବର କାଳର ତୋରଣେ

ଦେଖା ଯଦି ନାଇ ହୁଏ ଭୟ ନାଇ,

ଆମରି ଏ ମନେ

ଧ୍ୱନୁଅଛି ତାହାର ଆହ୍ୱାନ,

ମରଣ କରିଛି ତାରେ ମହୀୟାନ୍ ପୁଣି ସତ୍ୟବାନ୍

ଶୁଚିମତୀ ସାବିତ୍ରୀର ପରି,

ତାର ଛିନ୍ନ କେତନର ଆଲିଂପନ ନିଜ ଭାଲେ ଧରି

ଶତ ନବାଗତ

ଅବତରି ଆସେ ଏଥି, ଗାଇ ଗାଇ

ତାହାରି ସ୍ୱାଗତ ।।

 

ଯାଉ ସେହି ଯାଉ.......

ଡାକ ନାଇ ମିଛେ ପଛୁ

ଢାଳି ଲୁହ କିବା ହବ ଆଉ ?

ଯଥା ବାର ବାର

ସାୟାହ୍ନର ଗୁପ୍ତଚର

ପଳାତକ ଗୋଧୂଳିରେ ପ୍ରତିଦିନ

କରେ ଆବିଷ୍କାର,

ନିଖିଳର ଅଶ୍ରୁକଣା ତାରେ

ସେଇପରି ଖୋଜି ନେବ ପ୍ରତିଦିନ

ବିସ୍ମରଣୀ ପାରେ,

ପାର ହୋଇ ମରଣର ସୀମା

ବିସ୍ମୃତିର ଅଧଭୂଲା ମଳିନ ଦ୍ରାଘିମା ।।

 

ପାଇ ତାକୁ ନିତି ନିତି

ହରାଇବ ଧରା,

ଅଭିଷେକ ଶଂଖ ତାର ମଂଦ୍ରିବ ଗୋ

ଏଥି ସସାଗରା-

ଧରିତ୍ରୀର ବୁକେ

ଉତ୍ସବ-କୌତୁକେ ।।

 

ପୃଥିବୀର ଅକ୍ଷ ବୃତ୍ତ

ମେରୁ ଅରୋରାର

ଆଲୋକେ ଉଠିବ ହସି

ସପ୍ତର୍ଷିର ହାର

ଆକାଶର କଂପ୍ର ବୁକେ

କଂପିବ ଚଂଚଳ,

କଂପିବ ଛାୟାରେ ତାର

ନିମ୍ନେ ନୀଳ ପ୍ରବାଳ ସାଗର ।।

 

ଜୀବନର ଜୀର୍ଣ ପରିବେଶ

ମରଣର ଜୀର୍ଣତର ସେ ଉପନିବେଶ,

ଅତିକ୍ରମି ସବୁ

ନିତ୍ୟ ତା’ର ଉଦୟନ ଏ ଧରାରେ;

ପ୍ରଭାତର ତଂବୁ

ତାହାପାଇଁ ସଜାଇବ ପ୍ରାଚୀ,

ଆସିବ ଆସିବ ଫେରି ଧନଂଜୟ

ଦିବ୍ୟ ସବ୍ୟସାଚୀ ।

ମାନବର ସନାତନ ଧାରା

ତାହାରି ନିଶାଣ ତଳେ ଛିଡ଼ା ହବ

ଭୁଲି ଜୀର୍ଣ କାରା ।

ନିଷ୍ପେଷିତ ମୁକତିର ମଂତ୍ର.....

ଶିରପରେ ଗାଇବ ତା ନକ୍ଷତ୍ରର

ଚାରୁ ଗଣତଂତ୍ର ।।

Image

 

ଚାରି

 

ଆହେ କବି ! ବାରେ ହୁଅ ଠିଆ

ନେଇଯାଅ ତାର ମାଳା,

ନୁହେ ଫୁଲ, ସେ ଯେ ଦୀପ୍ତ ନିଆଁ ।

ପ୍ରାଣର ଗୋପନ ଲିପି

ମରମର ଆଦିମ ବେଦନ

ତହିଁ ମଧ୍ୟେ ଲଭେ ରୂପ

ଲଭେ ଭାଷା କରୁଣ, ମୋହନ ।

ସୃଷ୍ଟିର ଗୋପନ ଉତ୍ସ

ଜଳିବାର ଅନିବାର କ୍ଷୁଧା

ଦୀପଦାନି ସମ ଜଳି

ଢାଳିବାର ଶୁଭ୍ର ଜ୍ୟୋତି ସୁଧା

ପରକାଶ ଲଭିଅଛି ତହିଁ,

ଜୀବନର ମହୋତ୍ସବେ ମରଣର

ସ୍ୱପ୍ନ ରହି ରହି…

ଆପଣାରେ କରିଚି ଘୋଷଣା,

ମରଣର ସଭା-କବି ଦେଇଯାଏ

ଆଜି ତା’ ସୂଚନା ।।

 

କମଳ-ବିଳାସୀ କବି ! ଦେଖି ଯାଅ

ନୁହେ ଏ ଛଳନା,

ନୁହେ ଏହା ନିଶାଂତର

ସ୍ପପ୍ନମିଶା ଗତାୟୁ କଳ୍ପନା !

ସପନର ସ୍ୱାତି ତାରା ସମ ଏହା

ନିଭିବନି ବାରେ

ତିମିର ସାଗର ତଳେ

ରଜନୀର ଶାଣିତ ଅଂଧାରେ ।

ଜଳିବାର ଏ ମହା ତପସ୍ୟା,

ନିଜେ ସେ ଜାଳିଚି କୋଟି ବୁକେ

ଜ୍ୱଳନ ପିପାସା !!

X X X X

ପୋଛ କବି ପୋଛ ଅଶ୍ରୁ ନୀର

କ୍ରୌଞ୍ଚ ମିଥୁନର ଶୋକେ ଅଭିଭୂତ ତବ ନେତ୍ର-ତୀର ।

ମଣିଷର ଦେଖି ଏ ସାଧନା

ବୁଣିଦେଉ ଅଗ୍ନିକଣା, ବଜ୍ରଗର୍ଭ

ଝଡ଼ର ସୂଚନା ।

ନିଭିଯାଉ ଲୋତକର ନଦୀ,

ଆସନ୍ନ ଝଡ଼ର ବାଣୀ ପ୍ରତି କଂଠେ ଝରୁ ନିରବଧି ।।

 

ବହୁ ଦିନ ତଳେ

କିରାତର ଶରବିଦ୍ଧ ବନ ପଖୀ କରୁଣ ଦୁଃଖରେ

କାଂଦିଥିଲ ବାରେ,

କାଂଦିଥିଲା ତୁମ ସାଥେ ବନଲତା,

ତରୁଦଳ ମାଳେ ।

ଆଜି ଏଥି ମଣିଷର ଶିଶୁ ।

ପଡ଼ିଚି ଭୂଇଁରେ ଲୋଟି ଅସହାୟେ ମରଣର ବିଷୁ ।

ଶର କି ହେ ଗଲା ସରି

କବି ତବ ନୟନ ତୂଣୀରୁ

ବ୍ୟଥାର କରୁଣ ଲିପି

ହରାଇଲ ଆଜି କି ବାଣୀରୁ ?

କାଂଦ କବି ଶେଷ ଥର ପାଇଁ

ଗଗନ ପବନ ଯାଉ ସେଇ ମ୍ଲାନ

ବ୍ୟଥାରେ ମିଳାଇ

ବନେ ବନେ ଉଠୁ ହାହାକାର,

ଧରଣୀରେ ହେଉ ବନ୍ୟା,

ମାଡ଼ି ଆସୁ ଅଶ୍ରୁ ପାରାବାର,

ତଳେ ମାଟି ଉପରେ ଆକାଶ

ଭରିଦେଉ ଅଶ୍ରୁଜଳ ତହିଁ ମଧ୍ୟେ ଯେତେ ଅବକାଶ ।।

 

ସେ ମହା ପ୍ଲାବନ

ସ୍ୱପନଖଚିତ ତବ ଅଳକାର

ପ୍ରବାଳ-ତୋରଣ,

ଦେଉ ଧ୍ୱଂସ କରି,

ସଂଗେ ତାର ଭାଜି ଯାଉ ମରି

ତୁମରି କଳ୍ପନାଜାତ ଗଜଦଂତ ରଚିତ ମିନାର,

ମୃତ୍ତିକାରେ ବ୍ୟଂଗ କରି ବୁଣେ ଯାହା

ଘନ ଇଂଦ୍ରଜାଲ ।।

 

ମଣିଷର ଦଳିତ କଂକାଳ

ପଠାଏ ଯେ ତୁମ ପାଶେ ଆଜି ତାର ଦୂତ ବାର ବାର ।

ଏକ ଦୀର୍ଘଶ୍ୱାସ-

ଆକାଶେ ଧ୍ୱନୁଚି ତା’ର ସିକରୁଣ

ବନ୍ୟ ଅଟ୍ଟହାସ ।

ପୁଚ୍ଛ ତାର ମିଶେ ନଭ ଶେଷେ,

ଧୂମକେତୁ ସମ ସେ ଯେ ଧ୍ୱଂସେ ତବ

ପଦ୍ମଭୂକ୍-ଦେଶେ ।।

 

ଜଳିଯାଏ ଆଜି ଜଉଗଡ଼.....

ଜ୍ୱଳଂତ ପଳାଶ ପରି;

ଭସ୍ମସାତ୍ ପ୍ରାଚୀନ ନିଗଡ଼ ।

ଚାହିଁ ଦେଖ ଭୁଲି ଅବସାଦ

ଭାଜି ପଡ଼େ ଭୂଇଁ ତଳେ କିପରି ତୋ’

ତାସ୍‌ର ପ୍ରାସାଦ ।

ମହମର ସ୍ତଂଭ

ଜଳିଯାଏ ହୁତୁ ହୁତୁ

ନୁହେ ଶେଷ, ଶେଷର ଆରଂଭ !!

ଆରେ ଆରେ ପଳାୟନପଂଥି !

ପଳାଇବୁ ଆଜି କାହିଁ ଛିନ୍ନ କରି ଧରଣୀର ଗ୍ରଂଥି ?

ଲୁଚିବୁ ବା କାହିଁ

ମୃତ୍ତିକାର ଏତେ ଦାବୀ

ପାରିବୁ କି ଆଜି ତୁ କଟାଇ ?

କାହିଁ ଭୀରୁ ନେବୁ ରେ ଆଶ୍ରୟ

ତୋର ସେଇ କୁଂଜବନ

ଦେଇ କି ସେ ପାରିବ ଅଭୟ ।

ଏ ଘୂର୍ଣ୍ଣିର ସର୍ବଗ୍ରାସୀ କାୟା

ତାରେ କି ଧରିବ ନାଇ ପ୍ରସାରି ତା

ପ୍ରେତାୟିତ ଛାୟା ?

କଳ୍ପନାରେ ? ନୁହେ ସେ ତ ଅମୂଳକ

ଆକାଶର ଫୁଲ,

ନୁହେ ବି ସେ ଶୂନ୍ୟଚାରୀ ସ୍ୱପନର ମସୃଣ ମୁକୁଳ ।

ଦେହ ସାଥେ ସେ ତ ଜଡ଼ିଥାଏ,

ଏ ଦେହର ତରୁ ଶାଖେ ପୁଷ୍ପ ସମ

ସେ ଯେ ଶୋଭାଯାଏ ।

ଏ ମାଟିର ମଣିଷର ମନେ

ଯେତେ ଫୁଲ ଗଂଧେ ଛଂଦେ

ଫୁଟିଉଠେ ଚଇତାଳି ବନେ ।

ମାଟିର ପ୍ରାଣର ରସେ ରଂଗାଏ ତା’

ଆପଣାର ଦଳ

ମାଟିର ନିଶ୍ୱାସ ଦିଏ ଡେଣାରେ ତା’

ଗତିର ହିଲ୍ଲୋଳ ।

ମଣିଷର ଗଂଧମୃଗ-ମନ

ଧରାର ଉଦ୍ଭିଦୁ କରେ ସିନା ତାର

କସ୍ତୁରୀ ଚୟନ ।।

 

ଅସ୍ୱୀକାର କରିବୁ କେସନ

ମୃତ୍ତିକାର ଏତେ ଋଣ, ପୃଥିବୀର

ପ୍ରାଣଭରା ସ୍ତନ ?

ଆଜି ତୋର ସପ୍ତର୍ଷିର ଦେଶ

ମାଟିର ତୋଫାନ ହୁଏ ଶତ ଛିନ୍ନ

ମଳିନ ନିଃଶେଷ ।

ଶ୍ରାବଣର ସଚ୍ଛିଦ୍ର ଆକାଶ

ତୋର ମୃଦୁ କଳ୍ପନାରେ ବ୍ୟୃଂଗ କରି

ତୋଳେ ଅଟ୍ଟହାସ ।।

 

ଶୂନ୍ୟଗାମୀ ମରାଳ ସମାନ

କେତେ ଦିନ ଧରଣୀର ମୃତ୍ତିକାରେ

କରି ଅପମାନ

ଶୂନ୍ୟେ ତୋର ଡେଣା ଦି’ଟି ମେଲି

ଏପରି ବୁଲିବୁ ଆରେ ବାରବୁଲା ଯାଯାବର ଖେଳି ?

କ୍ଲାଂତ ଡେଣା ନ ମାରିବ ବଶ

ଦିନେ ତାହା ହେବରେ ଅବଶ ।

ଓହ୍ଲାଇ ତୁ ଧରଣୀର ବୁକେ,

ଆସିବୁ ଆସିବୁ ଫେରି ପଥହରା

ବିଶ୍ରାମ କୌତୁକେ ।

ପଲ୍ଲବର ବେନି ବାହୁ ତୋଳି

ତେବେ ତୋତେ କୋଳେ ଯେହୁ

ଟାଣିନବ, ସେ ଏଇ ଶ୍ୟାମଳୀ

ପୁରାତନ ମାଟିର ଧରଣୀ ।

ତାର ସଂକ୍ରାମକ ମାୟା କାରା ସମ

ବନ୍ଦୀ କରେ ପୁଣି

ପଳାତକ ମନ,

ମୃଦୁ ମୃଗ ଯଥା ଭୂର୍ଜବନେ ।।

 

ନାଇ ନାଇ ନାଇରେ ଉପାୟ

ପଳାୟନ ପଥ ନାଇ ହାୟ !

ମଣିଷର ଦଗ୍‌ଧକ୍ଷତ

ମୃତ୍ତିକାର କରୁଣ ଚିତ୍କାର

ସ୍ୱପ୍ନର ଅଂଜନ ପୋଛି

ଦେଉ ମନେ ନୂତନ ବିଚାର ।

ଚାହିଁ ଦେଖ ମଣିଷର ହାଡ଼

ଅରାଜକ ରଜନୀର ପକ୍ଷ ତଳେ

ଗଢ଼ିଚି ପାହାଡ଼ ।

ପୃଥିବୀର କ୍ଷତ

କିପରି ବମନ କରେ ଅବିରାମ

ଶୋଣିତର ସ୍ରୋତ ।

ଜରଦ୍‌ଗବ ସମାଜର ମନେ

ଜଳି ଉଠେ ବୃଦ୍ଧ ଆଶା,

ଦିନ ଶେଷେ ସୂର୍ଯ୍ୟାସ୍ତର ବନେ

ଢ଼ୁଳାଏ ପଶ୍ଚିମ,

ଜାରଜ ସଭ୍ୟତା ହସେ,

କଳା ରାତି ମୃତ୍ୟୁଠାରୁ ହିମ ।

ସାବଧାନ ନିରୀହ ପଥିକ !

ପଦ ତଳେ ଖୋଳେ ଗର୍ତ

ଶକୁନିର ଶିକ୍ଷିତ ମୂଷିକ ।

ସାବଧାନ ! ଏ ‘କପଟ ପାଶା’ !

ଏ ପଶାରେ ପାଂଚାଳୀର

ଅତି ଭୋକୀ କେଶର ପିପାସା ।।

 

ପଥଭୂଲା କବି !

ଏତେ ଦିନ ସପନରେ ଲେଖିଅଛ ମାୟାମୃଗ ଛବି

ଏତେ ଦିନ ଗାଇଅଛ ତୁମେ

ଦ୍ରାକ୍ଷାର ନଧର ସ୍ତନ ପୂର୍ବ-ବାୟୁ କେଉଁପରି ଚୁମେ ।

ଦେଖିନ ଅନୂଢ଼ା ଦେହେ

ସହି ସହି ଭୋକ, ଅନଶନ

ମଉଳିଚି ତନୁଶିରୀ, ଫୁଟିନାଇ କିପରି ଯୌବନ ।

ମାଆର ଲୁଳିତ ସ୍ତନେ, ଶୁଷ୍କ ଚର୍ମେ

ଶିଶୁ କେତେ ବାର

ଶୋଷି ପାଇ ନାଇ କ୍ଷୀର,

ଝରିଅଛି ଲହୁ ଧାର ଧାର ।

ବଂଧ୍ୟା ଦେଶେ ସଂଧ୍ୟା ବାୟୁ

କାଂଦି ଅଛି ଖାଲି ଆର୍ତନାଦେ

ନପୁଂସକ ଭବିଷ୍ୟତ,

ବର୍ତମାନ ପଂଗୁ ଅବସାଦେ ।

କେହି ଯଦି କରେ ପ୍ରତିବାଦ,

ମୃତ କଂଠେ ଦିଏ ଯଦି କେହି ଥରେ ଜୀବନର ସ୍ୱାଦ

ଦେଖିଚ କି ତେବେ ତାହା ଲାଗି

କାରାର ଶୃଂଖଳ ପୁଣି ଘାତକର ଖଡ଼୍‌ଗ ଉଠେ ଜାଗି

ଏଥି କେଉଁପରି ?

ଝରା ବକୁଳର କବି ! କି ଦେଖିବ କହ କହ ସ୍ମରି !

ଦେଖିନ ତ କିଛି,

ପଦ୍ମଭୋଜୀ ଦେଶେ ତବ ଏ ସଂବାଦ

କେବେ ପହଂଚିଛି ? ?

ଖାଲି ତମ ଅଭିଜାତ ମନ

ଆଜିଯାକେ ଦେଖିଅଛି ଅସ୍ଥିହୀନ ମର୍ମର ସ୍ୱପନ ।

ଅଂଗୁର କୋରକ ପରି ଲତାୟିତ ଉର୍ବଶୀର ତନୁ

ଗଢ଼ିଚ ନିଗାଡ଼ି ତୁମେ

ସପନର ଶତ ଇଂଦ୍ରଧନୁ ।

ତେଣୁ କେବେ ମଣିଷର ପାଇଁ

ଟୋପାଏ ଲୋତକ କେବେ ଚକ୍ଷୁ ତୀରୁ

ତାର ଝରି ନାଇ ।।

 

ନମ୍ର ମୁକେ ଏକ ଦୀର୍ଘ ଶ୍ୱାସ

କାହାର ବିରହେ କେବେ ଆଣିନି ତା’ ବେଦନାର ପ୍ରାସ ।

ସ୍ନିଗ୍‌ଧ ସେଇ ଆକାଶୀ ପ୍ରତିମା

କରି ତ ପାରିନି ସ୍ପର୍ଶ ମଣିଷର ଜୀବନର ସୀମା ।

କେବେ କାହା ଗୃହର ଅଂଗନେ

ଜାଳିନି କନକ ଦୀପ ସଂଧ୍ୟାଗମେ ଅଂଗୁଳି ଚାଳନେ ।

କେବେ କାର ବାସର ମଂଦିରେ

ପ୍ରଥମ ପ୍ରେମର ଲାଜେ ଭୀରୁ ବଧୂ

ସ୍ନିଗ୍‌ଧ ସ୍ୱେଦ-ନୀରେ.....

ଜାଗିନି ପାଷାଣୀ ପ୍ରାଣେ,

ରହିଅଛି ଖାଲି ସେ ତ ଦୂରେ

ବହୁ ଦୂରେ, ଧରଣୀର ସ୍ୱପ୍ନ ସିଂଧୁ

ସ୍ନିଗ୍‌ଧ ଉପକୂଳେ ।।

 

ଶତ ଶତ ସର୍ପିଳ ଉଲୁପୀ

ତୁମରି ସପନେ କବି ନେଇଅଛି ଜନ୍ମ ବହୁରୂପୀ !

ସାପର ଚିକୁର ମେଲି, ତ୍ରସ୍ତ ପଦେ ବିଦ୍ୟୁତ୍ ଖେଳାଇ

ଧରାର ସୀମାଂତ ଏଡ଼ି ଯାଇଅଛି ଚାଲି ପୁଣି କାହିଁ ?

ସପନର ସୁନାର ହରିଣୀ

ପାଗଳ କରିଚି ଖାଲି ଆକାଶର ନୀଳ ସୁରା ଜିଣି ।

ପଂପାସର ପଦ୍ମବନେ ଆଜି

ସାହାରାର ହାହାକାର ଶୁଣ କବି

ଧୀରେ ଉଠେ ବାଜି ।।

 

ଶୀର୍ଣ ସିପ୍ରା ତୀରେ......

ମାଳବିକା କାଂଦି ମରେ ଅନୁର୍ବର ଅଶ୍ଲୀଳ ତିମିରେ ।

କସ୍ତୁରିକା, ମାଧୁରିକା ଦଳ,

ହରାଇ ଅଛଂତି ନିଜ କବରୀରୁ

ଲୀଳାର କମଳ ।

କ୍ଷୁଧାତୁର କ୍ଷୀଣ ଦୃଷ୍ଟି ପଥେ

ମଣିଷ ପାରେନା ଆଜି ଚିହ୍ନି ତାଂକୁ

ଜୀବନ ସୈକତେ ।

କହିପାର ମନେ ହୁଏ କିଆଁ

ସେମାନେ ଯେ ପରଦେଶୀ ପୁରାତନୀ

ପରକୀୟା ପ୍ରିୟା ।

ମଣିଷର ନୁହଂତି ନିଜର,

ସପନର ମହୁ-ଶେଯ ମଉଳିଚି ବାଜି ପ୍ରଭାତର

ଉଚ୍ଚ ଐକ୍ୟତାନ,

ଚାଂଦର ରେଶମୀ ଜାଲ ଦଳି ଛୁଟେ

ସୂର୍ଯର ବିମାନ !!

ଦେଖ ଦେଖ କବି ଖୋଲି ଆଖି

ଚାରିଦିଗେ ଏ କି ଝଡ଼ ଛୁଟିଆସେ

କି କାଳ ବୈଶାଖୀ ?

ତୂର୍ଣ ବାୟୁ, ଚୂର୍ଣ ଆୟୁ, ସତ୍ୟାନାଶୀ ଏ ଯେ ସର୍ବନାଶୀ

ଆର୍ତ କଂଠେ ଏ ଉଷାରେ ବାଜିଉଠେ

କି ଉନ୍ନପଞ୍ଚାଶୀ ?

ରକ୍ଷାକର ! ଆର୍ତେ ରକ୍ଷାକର !

ଭାଜିଚି ପ୍ରାଚୀନ ନିଦ୍ରା ଶିଳାଭୂତ ଗରୁଡ଼ ସ୍ତମ୍ଭର ।

ତୁଟି ଅଛି ତଂଦ୍ରାର ପ୍ରାଚୀର

ସାବଧାନ ଯାତ୍ରୀ ମୁସାଫିର !!

ଲୋଟୁଅଛି ତଳେ.....

ହସ୍ତିନାର ସ୍ୱର୍ଣ କୁଂଭ

ଭଗ୍ନଊରୁ କୌରବ କବରେ ।

ବାରୁଣାବଂତର ଚାରୁ ହେମଶିଳା,

ହର୍ମ୍ୟର କଳସେ,

ଶକୁନ ହାଣଇ ଚଂଚୁ,

ଦେଖ, ଦେଖ ଆଜି ନିରଳସେ ।

ଚାରିଦିଗେ ଦୁର୍ଗଂଧ ଶବର;

କ୍ଷୁଧାରେ ଶ୍ମଶାନ ଧରା,

ପାନଶାଳା ହେଇଚି କବର ।

ପଥ କାହିଁ ? ପଥ ଆଜି କାହିଁ ?

ଲଂପଟ ସମାଜ ଦୂରେ ଉଜାଗରେ

ମାରେ ଖାଲି ହାଇ ।

ସୌଦାଗରୀ ସଭ୍ୟତାର ହାଡ଼

ଗଢ଼ିଅଛି ମେଘାସନ,

ମୃତ୍ୟୁ-ନୀଳ କରୁଣ ପାହାଡ଼ !!

ଯେଉଁଠି ମରଇ ଶିଶୁ

ଜନନୀର ଆର୍ଦ୍ରବୁକେ ଶୋଇ,

ଫୁଲର ଫସଲ ଯାଏ

ବୈଶାଖର କାଳ ଝଡ଼ ଧୋଇ,

ତୁମର ନଂଦନ କଳା,

ତୁମର ଏ ମାଧବୀ କଳ୍ପନା

କିପରି ମଣିଷ ସତେ

କହ କବି କରିବ ଅର୍ଚନା ?

ସେ ଯେ ନିଃସ୍ୱ, ସେ ଯେ ହତଭାଗା,

ଅଛି ଖାଲି କ୍ଷୁଧା, ତୃଷା,

ଆଉ ଅଛି ଏତେ ଟିକେ ଜାଗା-

ଧରା ବୁକେ, ମରିବାର ପାଇଁ,

ଚରଣେ ଶୃଂଖଳ ଅଛି

ଏହା ଛଡ଼ା ଆଉ କିଛି ନାଇଁ

ସେ ଯେ ସର୍ବହରା !

ହରାଇଚି ସବୁ କିଛି, ବାକୀ ଅଛି ଶୃଂଖଳ ଓ କାରା !!

ଆଜି ମ୍ଲାନ ଆଖିରେ ତାହାର

ଚୈତ୍ରର ସୁରଭି ରାତି

ହରାଇଚି ସବୁ ମାନେ ତାର-

ସବୁ ସାର୍ଥକତା,

ତେଣୁ ତାକୁ କ୍ଷମ କବି ବୁଝେ ନା ସେ

ବୋଲି ତୁମ କଥା ।।

 

ତୁମର ଲଳିତ କଳା, ସୁକୁମାର

ନର୍ମ ପଦାବଳୀ

ତାହାର କ୍ଷୁଧାରେ ଆଜି ବ୍ୟଂଗ କରି

ଉଠୁଚି କୁହରି ।

ଦୂରାଗତ ବଂଶୀ ସ୍ୱନ ପରି

ପାରେ ନା ସେ ତେଣୁ ସେଇ

ଦରବୁଝା କୂଜନରେ ଧରି ।।

 

ଧ୍ୱଂସ କରି ସବୁ ଅତ୍ୟାଚାର

କେ ଦେବ ତା’ ବୁକେ ଆଶା

ମନେ ଦବ ଦୁରଂତ ବିଚାର ?

ଧ୍ୟାନରେ କେ ଆଣିବ ସ୍ଥିରତା

ଜୀବିକାର ଯଂତ୍ର ବୁକେ ଜୀବନର

ସଦ୍ୟ ପ୍ରଖରତା ?

ପଚାରଇ ସକାଳ ଆଲୋକ,

ଜାଗ ଜାଗ ବୃହନ୍ନଳା !

ଗଳିଯାଉ ପଳିତ ନିର୍ମୋକ ।।

 

ମଣିଷର ଯୁଗ ଆଣ କବି

‘ନିରକ୍ତ କାର୍ତିକ’ ପ୍ରାତେ ସୃଜନର

ଆରକ୍ତ କରବୀ

ଫୁଟିବ ଗୋ ତେବେ

ଚିର ବସଂତର ସ୍ତବ ବନେ ବନେ

ଝଂକାରିବ ଯେବେ ।।

 

କର କବି ତେଣୁ ତୀର୍ଥ ସ୍ନାନ

ଏ ଶିଖାର ପୁଣ୍ୟ ତେଜେ

ହଉ ସବୁ କ୍ଲାଂତିର ନିର୍ବାଣ ।।

Image

 

ପାଞ୍ଚ

 

ପୋଛ ମାତା ପୋଛ ଅଶ୍ରୁ ରାଶି,

ତୁମରି ସ୍ତନର ଜୟ ଗାଏ ଆଜି

ଚରାଚରବାସୀ ।

ତୁମର ଯା ଥିଲା ଦିନେ

ବିଶ୍ୱ ତାରେ କରିଚି ନିଜର,

ନିଖିଳର ଗର୍ଭେ ଆଜି ଶିଶୁ ତବ

ୠଭେ ଜନ୍ମାଂତର ।

ନବ ନବ ଆଗଂତୁକ ମେଳେ

ଫେରି ଆସେ ବୀର ଶିଶୁ

ରୂପହୀନ ଅଦେହର ଖେଳେ ।

ଶତ ଶତ ନବାଗତ ଦେହେ

ନିଅ ତାକୁ ଖୋଜି କୋଳେ

ଦିଅ ଚୁମା ଗାଲେ ତାର ସ୍ନେହେ,

ନିତି ନିଶା, ଉଷା ଉଦୟନେ

ତାର ଜନ୍ମ ଏ ଦେଶର କୋଟି ମନେ,

ନିଭୃତ ସପନେ ।

ଶେଷ ହୀନ ମୁକତି ସମରେ

କୋଟି ନବାଗତ ସୈନ୍ୟ ଶିବିରେ ଯେ

ତାର ନାମ ସ୍ମରେ,

ଲଭିବାକୁ ଶକ୍ତିର ଅମିୟ;

କ୍ଷତଠାରୁ ଆପଣାର

ମୃତ୍ୟୁଠାରୁ ବଳି ସେ ତ ପ୍ରିୟ !!

କେଉଁ ଦୂର କ୍ଷୁଦ୍ର ପଲ୍ଲିଗ୍ରାମେ

ହେ ଜନନୀ ପେଟ ପୋଷ ଧାନ କୁଟି

ନିଶି ଶେଷ ଯାମେ,

ଢିଂକି ଗାତେ କରାଂଗୁଳି ଚାଳି

ଜରାରେ ଶିଥିଳ ତନୁ ବାରେ ବାରେ

କାହା କଥା ଭାଳି

ଭୂଇଁ ତଳେ ଲୋଟିପଡ଼େ ହେଳେ

କାନ ତବ ମାତା ମାତା

ରୋଳ ଅବା ବାଜେ ବେଳେବେଳେ,

ମାଆ ମାଆ ଡାକି ଯାଏ କେହୁ

ସେଇ ଡାକ, ସେଇ ଧ୍ୱନି-

କେହି ନାଇ, ବତାସର ଢେଉ !!

ନିଦ୍ରାହୀନ ଚକ୍ଷୁ ତଟୁ ଝରି

ଖସିପଡ଼େ ମ୍ଲାନ ବାସେ ଦୁଇ ଗୋଟି ଲୋତକର କଳି ।

ଅକୁରଣ ରାତ୍ରିର ବତାସ

ହେଳାରେ ଉଠାଇ ନିଏ ତବ ଚୂର୍ଣ୍ଣ

ବୁକୁର ନିଃଶ୍ୱାସ ।

ଜଗତ କି ସେ ଖବର ପାଏ

ହୃଦୟର ସେ ସଂବାଦ

ବେଦନାର ମରୁରେ ମିଳାଏ ।।

ଆଜି ମାତା ପଡ଼େ କି ଗୋ ମନେ

ଶ୍ରାବରଣର କୃଷ୍ଣ ମେଘ ଛୁଇଁ ଯେବେ

ଦୂର ଆମ୍ର ବନେ

ଝର ଝର ପଡୁଥିଲା ଖସି

ଆକାଶର କଳା ଛାଇ ନଦୀ ଜଳେ

ନାଚୁଥିଲା ହସି,

ଶତ ବଜ୍ର ଡାକୁଥିଲା ଠାରି,

ସଂଧ୍ୟାର ନେପଥ୍ୟେ ଯଥା

କା’ର କ୍ଷିପ୍ର ଖର କରତାଳି !

ପଥଭୁଲା ରାଜହଂସ ପରି

ନଦୀ ତଳେ ଯାଉଥିଲା ଅତି ଧୀରେ

ଭାସି ତାର ତରୀ,

ତୁମେ ତେବେ କୁଟୀର ଦୁଆରେ

କାନପାତି ବସୁଥିଲ କେଉଁପରି ସଂଜ ଅଂଧକାରେ

ପ୍ରତାରକ ପଦଧ୍ୱନି ଗଣି

କଟାଇ ଦେଇନ ତୁମେ କେତେ

ସଂଜ ପ୍ରହର ଜନନୀ !!

ତାହା ପରେ.......

ବାହୁଡ଼ି ସେ ଆସୁଥିଲା ପୁଣି ଯେବେ ଘରେ

ଘୋଡ଼ାଇ ଆପଣା ବାହୁ

ଘରେ ତାକୁ ଆସୁଥିଲ ରଖି,

ଶାବକରେ ଯଥା ବନ ପଖୀ ।

ଗୃହ-ବଧୂ ଅଂଚଳ ଉଢ଼ାଳେ

ବତାସର ନିଃଶ୍ୱାସରୁ ପ୍ରଦୀପରେ

ଯଥା ରକ୍ଷା କରେ,

ତୁମେ ତ ସେପରି

ରଖୁଥିଲ ଢାଂକି ତାକୁ ନିଜ ଭୁଜ –

ପଲ୍ଲବ ଆବରି ।

ଆହୁରି କି ମନେପଡ଼େ ଆଜି

ଅସ୍ତ ଗୋଧୂଳିର ଶଂଖ

ବନେ ବନେ ଯେବେ ଉଠେ ବାଜି,

ହେମଂତର ବିଷଣ୍ଣ ସଂଧ୍ୟାରେ,

ମହୁମାଛି ଫେରେ ଘରେ,

ନାରୀକେଳ ଗଛର ଶାଖାରେ

ଜନଗଣାନର ସଭା ତାହାଙ୍କର ବସେ ସାରା କ୍ଷଣ,

ଫୁଲର ସାମ୍ରାଜ୍ୟୁ ଫେରି

ଆସିଛନ୍ତି ଆଜି କେତେ ଜଣ,

ଗଣିବାର ପାଇଁ,

ତୁମର ପଂଜର ତଳେ କି ବେଦନା

କରେ ହାଇ ହାଇ !!

ପୁଣି ଯେବେ ଗ୍ରାମର ଦେଉଳେ

ଚାଂଦର ରେଶମୀ ଜାଲ

ଜଡ଼ିଯାଏ କନକ ତ୍ରିଶୂଳେ,

ସ୍ମରଣେ ତୁମର

କାହାର ପେଲବ ତନୁ

ନଷ୍ଟଚଂଦ୍ର ପରି ଦୁତୀୟାର

ଜାଗି ବାରେ ନିଭିଯାଏ ପୁଣି,

ସିକ୍ତ ଆଖି ସରୋବରେ ଯାଏ

ଘନ ଅଶ୍ରୁ ରେଣୁ ବୁଣି ।।

 

ଗ୍ରାମ ଶେଷେ ଜନହୀନ ପଥ

ନ ଯିବାକୁ ଏକା ତାକୁ ଯେ ବାଟରେ ଦିଅଂତ ଶପଥ

ଆଜି ସେଥି ବାଦୁଡ଼ିର ଦଳ

ଆପଣା ଭୋଜନଶାଳେ ରାତି ଜାଗେ,

ନୈଶ କଳରୋଳ

ଭାସି ଆସେ ଦୂରୂ,

ଖେତ ଜଗୁଆଳ କାଶେ ବହୁ ଦୂରେ

ଫସଲ ଖେତରୁ ।।

 

ନଈ ବାଁକେ ମତ୍ସ୍ୟଜୀବୀଗଣ

ରାତିର ଆହାର ତହିଁ କରୁଛଂତି

ନୀରବେ ରଂଧନ,

ଶର ବନେ ଉଠେ କଳା ଧୂଆଁ

ଡାଆଣି ଆଲୁଅ ଥରେ ବଣ ଦାଢ଼େ

ଜହ୍ନ-ରାତି-ଜୁଆ ।

ଆଜି ମାତା ଲାଗେ କି ଗୋ ଡର

ପଥଭୁଲା ଶିଶୁ ଲାଗି ଆଜି ତୁମେ

ମାଗ କି ଗୋ ବର

ଗ୍ରାମଦେବୀ ଶୀତଳାର ପାଦେ ?

ଆଜି କି କାଛେଣି ଯାଚ

ନିଜ ମନେ ମାଆର ପ୍ରମାଦେ ।

ଭଂଗା ତବ ପଂଜରର ତଳେ

ହେ ଜନନି ! ଯେ ବେଦନା ମୁହୂର୍ମୁହୁଃ

ଚିତା ସମ ଜଳେ

ଉପହାର ଦିଅ ମୋତେ ତାରେ

ନିରମିବି ଶିଳା-ଲିପି ମୁହିଁ ଏକ ତାହାରି କଂକାଳେ ।

ବେଦନାର ବିରାଟ ମିନାର

ମୁଁ ଗଢ଼ିବି ନିଜ ହାତେ

ବୁକୁ ପରେ ସେ ମହୁ ବ୍ୟଥାର ।।

 

ହେ ଜନନି ! ହେ ଗର୍ଭଧାରିଣି !

ଅଭିମାନ ତେଜ ଗୋ ମାନିନୀ ।

ଏ ଜାତିର ଉଦାର ସ୍ମରଣେ

ଶିଶୁ ତବ ବଡ଼ ହୁଏ

ତିଳେ ତିଳେ ଜିଣି ଗୋ ମରଣେ ।

ଆଜି ତାର ଶୁଭ ଅଭିଷେକ,

ଏ ଜାତିର ଘରେ ଘରେ,

ଢାଳ ମାତା ମଂଗଳ ନିଷେକ ।।

 

ପ୍ରତି ଜୟ ପରାଜୟ ବେଳେ

ତାହାରି ଅଭୁଲା ସ୍ମୃତି ଏ ଦେଶର

ପ୍ରତି ମନେ ଖେଳେ ।

ଜୟେ ସେହୁ ଦିଏ ଦଂଭ,

ପରାଜୟେ ଦେଇଯାଏ ଆଶା

ସେ ନୁହେଁ ତୁମର ଖାଲି,

ସେ ଯେ ମାତା ବିଶ୍ୱର ପିପାସା ।।

 

ନୁହେ ସେ ତ କେବଳ ସଂତାନ-

ସେ ଯେ ଚିର ମୁକ୍ତି-ବୀଜ

ଜନତାର ଶୁଭ ଅନୁଷ୍ଠାନ !!

Image